ଗୋଲାମୁଣ୍ଡା, (କଳାହାଣ୍ଡି ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋର୍ଡି ଗ୍ରାମର ଉଚ୍ଚ ଶିକ୍ଷିତ ମନ୍ମଥ ସାହୁ (୫୫) ଇଞ୍ଜିନିଅର ଚାକିରୀ ଛାଡି ବର୍ତ୍ତମାନ ଚାଷ କାର୍ଯ୍ୟ କରି ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ଅନେକ ବେରୋଜଗାର ଲୋକଙ୍କୁ ରୋଜଗାର ଯୋଗାଇ ବର୍ତ୍ତମାନ ଲୋକଙ୍କ ପ୍ରଶଂସା ସାଉଁଟୁଛନ୍ତି | ଦିନ ଥିଲା ଚାକିରୀ ଅନ୍ୱେଷଣରେ ସେ ସୁଦୂର ପୁନେ ଯାଇ ସେଠାରେ ଏକ କମ୍ପାନୀରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ | ହେଲେ ସେଠାରେ ସେ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲେ | ପରାଧୀନ ଭାବରେ ଅନ୍ୟପାଇଁ ଖଟିବା ତାଙ୍କୁ ପସନ୍ଦ ଆସୁନଥିଲା | ମନରେ ତାଙ୍କର ସର୍ବଦା ଇଚ୍ଛା ଥିଲା ଭିଟାମାଟିକୁ ଫେରି ସ୍ୱାଧୀନ ଭାବରେ କିଛି ଭିନ୍ନ କରିବେ | ଏଭଳି ସମୟରେ ମାଡି ଆସିଲା ବିଶ୍ୱ ମହାମାରୀ କରୋନା | ବାହାରେ ରହି କାମ କରୁଥିବା ଲୋକେ ମହାମାରୀ ସମୟରେ ନିଜ ନିଜ ଘରକୁ ନିଜ ପରିବାର ପାଖକୁ ଫେରିବାକୁ ବ୍ୟାକୁଳ ହେଉଥିଲେ | ଏପରି ସମୟରେ ମନ୍ମଥ ମଧ୍ୟ ଚାକିରି ଛାଡି ଚାଲି ଆସିଲେ ନିଜ ଭିଟାମାଟିକୁ । ସେ ନିଶ୍ଚିତ କଲେ ପୁନର୍ବାର ଅନ୍ୟ କୁଆଡେ ଚାକିରୀ କରିବା ପାଇଁ ଯିବେ ନାହିଁ | ଏଇଠି ରହି କିଛି କରିବାକୁ ସେ ସିଦ୍ଧାନ୍ତ ନେଲେ | ବର୍ତ୍ତମାନ ଶିକ୍ଷିତ ଯୁବଗୋଷ୍ଠୀ ଚାଷ କାର୍ଯ୍ୟ କୁ ଆପଣାଇବାକୁ ନାପସନ୍ଦ କରୁଥିବା ସମୟରେ ମନ୍ମଥ କିନ୍ତୁ ଚାଷକାର୍ଯ୍ୟ କୁ ପେଶା ଓ ନିଶା ରୂପେ ବାଛି ନେଲେ | ଜୁନାଗଡ଼ ବ୍ଳକ ଦୁନ୍ଦେଲମାଲ ପଞ୍ଚାୟତ ସିନାଖୂଣ୍ଟି ଗ୍ରାମରେ ପାଖାପାଖି ୨୨ ଏକର ପରିମିତ ଜମି କିଣି ସେହି ଜମିରେ ଚାଷ କାର୍ଯ୍ୟ କରି ଫଲାଇଲେ ଭଲିକି ଭଲି ସୁନାର ଫସଲ । ମନ୍ମଥ ନିଜ ଜମିରେ ଧାନ, ପନିପରିବା, କପା, ଡାଲି ଜାତୀୟ ଫସଲ, ସହ ଛେଲି, ମେଣ୍ଡା, ମାଛ, ଦେଶି କୁକୁଡା, ବତକ ଭଳି ବିଭିନ୍ନ ଚାଷକରି ସଫଳତା ମାର୍ଗରେ ଅଗ୍ରଗତି ହୋଇ ପାରିଛନ୍ତି | ନିଜେ ଚାଷ କାର୍ଯ୍ୟ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ଅନେକ ବେରୋଜଗାରଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି |
ସମୁଦାୟ ୧୫ ରୁ ୨୦ ଜଣ ମଜୁରିଆ ତାଙ୍କ ଜମିରେ ଚାଷ କାର୍ଯ୍ୟରେ ନିୟୋଜିତ ରହିବା ସହ ତାଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି | ଆଗକୁ ଅଧିକ ଜମିରେ ଅଧିକ ପରିମାଣରେ ଚାଷ କାର୍ଯ୍ୟ କରି ଅଧିକ ଉତ୍ପାଦନ ସହ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରିବାର ଯୋଜନା ରଖିଥିବାର ପ୍ରକାଶ କରିଛନ୍ତି ମନ୍ମଥ | ଆଜିକାଲିର ଦିନରେ ଶହ ଶହ ଲୋକ ଚାକିରୀ ନପାଇ ବେରୋଜଗାର ହୋଇ ଘରେ ବସିରହୁଛନ୍ତି | ଅନେକ ଲୋକ ପେଟ ପାଟଣା ପାଇଁ ରାଜ୍ୟ ବହାରକୁ ଦାଦନ ଶ୍ରମିକ ଭାବେ ଯାଇ ଓ ସେମାନେ ସେଠାରେ ନିର୍ଯ୍ୟାତିତ ହେବାର, ତାଙ୍କ ମୃତଦେହ ଗାଁ କୁ ଆସିବାର ଏଭଳି ଖବର ଅନେକ ସମୟରେ ସାମ୍ନାକୁ ଆସୁଛି | ଏପରି ସମୟରେ ଇଂଜିନିୟର ଭଳି ପ୍ରତିଷ୍ଠିତ ତଥା ସମ୍ମାନଜନକ ପଦବୀକୁ ଛାଡି ମନ୍ମଥ ଚାଷ କାର୍ଯ୍ୟ କୁ ଆପଣାଇ ସେଥିରେ ସଫଳ ହେବା ସହ ଯୁବ ବର୍ଗ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି | ଯଦି ସରକାରଙ୍କ ତରଫରୁ କିଛି ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଏ ତେବେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଆଧୁନିକ ପଦ୍ଧତିରେ କୃଷିକାର୍ଯ୍ୟ କରିବା ସହ ଅଂଚଳର ଅନେକ ବେରୋଜଗାର ଙ୍କୁ ରୋଜଗାର ଯୋଗାଇ ଦେବା ସମ୍ଭବ ହୁଅନ୍ତା ବୋଲି ପ୍ରକାଶ କରିଛନ୍ତି ମନ୍ମଥ ସାହୁ | କୌଣସି କାମ କୁ ଛୋଟ ନଭାବି ବାହାର ରାଜ୍ୟକୁ ଦାଦନ ଖଟି ଯିବା ବଦଳରେ ନିଜ ଅଞ୍ଚଳରେ ପରିଶ୍ରମ କରି ମଧ୍ୟ ଆମେ ଭଲ ରୋଜଗାର କରି ପାରିବା ବୋଲି ମତ ରଖିଛନ୍ତି ।
0 Comments