Breaking News

6/recent/ticker-posts

ଗୋଟିଏ କଳାପଟାରେ ଏକା ସାଙ୍ଗେ ଦୁଇ ଶିକ୍ଷକଙ୍କ ଶିକ୍ଷାଦାନ

ଗୋଲାମୁଣ୍ଡା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଗୋଲାମୁଣ୍ଡା, (କଳାହାଣ୍ଡି ନ୍ୟୁଜ) : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସରକାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ତାହା କେତେକ ଜାଗାରେ ଅପାରଗ ସରକାରୀ ବାବୁ ମାନଙ୍କ ପାଇଁ ବିଶେଷ ଫଳପ୍ରଦ ହେଉନାହିଁ । ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଥିବା ସରକାରଙ୍କ ଯୋଜନା ଫେଲ ମାରୁଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମକୁନ୍ଦପୁର ଗାଁରେ । ପରିତ୍ୟକ୍ତ କୋଠରିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ଚାଲିଥିବା ବେଳେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଅନେକ ଛାତ୍ରଛାତ୍ରୀ ବାରଣ୍ଡାରେ ବସୁଛନ୍ତି ଓ ଅନ୍ୟ ପଟେ ଗୋଟିଏ କଲାପଟାରେ ଦୁଇ ଶିକ୍ଷକଙ୍କ ପାଠପଢ଼ା ଚାଲିଛି । ଜିଲ୍ଲାରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ୫ଟି ସ୍କୁଲ କାମ ସରିବା ଉପରେ ହେଲେ ମୁକୁନ୍ଦପୁର ବିଦ୍ୟାଳୟ ବର୍ଷେ ହେଲାଣି ଦ୍ଵିତୀୟ ପର୍ଯ୍ୟାୟର ସ୍କୁଲ କାମ ସରିନାହିଁ । କେମିତି ଗଢ଼ା ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ସରକାର ସର୍ବଶିକ୍ଷା ଅଭିଯାନର ବିକଳଚିତ୍ର ଏବେ ପଦାରେ ପଡିଛି । ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ସ୍ଲୋଗାନ ଏବେ ଫମ୍ପା ମାଠିଆର ଶବ୍ଦ ପରି । ସୂଚନା ମତେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମୁକୁନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ୧୯୭୨ ମସିହା ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୭ ଜଣ ଶିକ୍ଷକ ଶିକ୍ଷ୍ୟାଦାନ କରନ୍ତି । ଏହି ୫୧ ବର୍ଷର ସ୍କୁଲ କୋଠା ଏବେ ଭୁଶୁଡିବାକୁ ବସିଲାଣି । ସମସ୍ତ ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ଥିବା ବେଳେ ଛାତରୁ ଲୁହାଗୁଣ୍ଡ, ସିମେଣ୍ଟ ,ବାଲି ,ଗେଟି ପଡୁଛି । କେତେବେଳେ କେଉଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୁଣ୍ଡ ଉପରେ ଛାତ ଭୁଶୁଡି ପଡିବ ତାହା ଭଗବାନଙ୍କୁ ହିଁ ଜଣା । ତଥାପି ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗେଇ ପାଠ ପଢୁଛନ୍ତି । ଶ୍ରେଣୀ ଗୃହ ଭଗ୍ନ ଅବସ୍ଥାରେ ଥିବ ଯୋଗୁଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ବାରଣ୍ଡାରେ ବସି ପଢ଼ିଥାନ୍ତି । ଷଷ୍ଠ, ସପ୍ତମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ କୋଠରି ର ଗୋଟିଏ କଳାପଟାରେ ପଢିଥାନ୍ତି । ସେହିଭଳି ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏକ ପରିତ୍ୟକ୍ତ କୋଠରିରେ ପଢି ନିଜ ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସ୍କୁଲରେ ଏକ ନଳକୂପ ଅଛି ହେଲେ ଲୁହାଗୁଣ୍ଡ ବାହାରୁ ଥିବାରୁ ତାହା ପିଇବା ପାଇଁ ଅନୁପଯୋଗୀ ଅଟେ । ତେଣୁ ଛାତ୍ରଛାତ୍ରୀ ମାନେ ବାହାର ନଳକୁପକୁ ଯାଇ ପାଣି ପିଉଛନ୍ତି । ସେହିଭଳି ଶୌଚାଳୟ ନ ଥିବାରୁ ବାହାରକୁ ଯାଉଛନ୍ତି । ରାଜ୍ୟ ସରକାର ଏହି ସ୍କୁଲ ପାଇଁ ଏକ ୫ ଟି ଯୋଜନାରେ ପ୍ରାୟ ୧ କୋଟି ଵ୍ୟୟ ଅଟକଳରେ ସ୍କୁଲ ନିର୍ମାଣ କରୁଛନ୍ତି । ହେଲେ ଆଜକୁ ବର୍ଷେ ହେବ ସ୍କୁଲ କାମ ଶେଷ ହୋଇପାରୁନାହିଁ । ୫ଟି ବିଭାଗ ମଧ୍ୟ ଏହାର ତଦାରଖ କରୁନଥିବା ଯୋଗୁଁ ଠିକାଦାର ନିଜ ମନମାନି କାମ କରୁଛନ୍ତି । ବର୍ତ୍ତମାନ ୫ଟିର ତୃତୀୟ ପର୍ଯ୍ୟନ୍ତ କାମ ସାରିଥିବା ବେଳେ ଏହି ଦ୍ୱିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ସ୍କୁଲ ଏପର୍ଯ୍ୟନ୍ତ ଛାତ ମଧ୍ୟ ପଡ଼ିନାହିଁ କି ସାରିବାର ନାଁ ମଧ୍ୟ ଧରୁ ନାହିଁ । ରାଜ୍ୟ ସରକାର ୫ଟି ନାଁରେ ଜାଣି ଶୁଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁ ଥିବା ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Post a Comment

0 Comments