Breaking News

6/recent/ticker-posts

ସଡକ ଦୁର୍ଘଟଣାରେ ଆଉ ଜଣେ ଜିଆରଏସ୍ ଙ୍କ ମୃତ୍ୟୁ

ଧର୍ମଗଡ଼, ୨୬/୧୧ (ନି.ସୂ ) : ଧର୍ମଗଡ଼ ବ୍ଲକ ପିପଲା ଗ୍ରାମର ସୀମାଞ୍ଚଳ ସୁନାନୀ (୪୫) ଗୋଲାମୁଣ୍ଡା ବ୍ଲକର ମାନଝରି ଓ ଉଦେସୁରୂଙ୍ଗ ଦୁଇଟି ପଞ୍ଚାୟତରେ ଜିଆରଏସ ରୂପେ କାର୍ଯ୍ୟ କରୁଥିଲେ । ନିଜ କାର୍ଯ୍ୟାଳୟକୁ ଯିବା ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ଦିନ ସେ ମୃତ୍ୟୁବରଣ କରିଥିଲେ । ଜିଆରଏସ୍ ଜଣଙ୍କ ମୃତ୍ୟୁକୁ ସପ୍ତାହେ ନପୁରୁଣୁ ଆଜି ଗୋଲାମୁଣ୍ଡା ବ୍ଲକର ପୁଣି ଜଣେ ଜିଆରଏସ୍ ମୃତ୍ୟୁ ବରଣ କରିଛନ୍ତି । ସୂଚନା ମତେ ଗୋଲାମୁଣ୍ଡା ବ୍ଲକ ଚହକା ଗ୍ରାମର ରଜନୀ ପଟେଲ (୪୫) ପ୍ରଥମେ ଗୋଲାମୁଣ୍ଡା ବ୍ଲକର ବୋର୍ଡି ପଞ୍ଚାୟତରେ ଜିଆରଏସ୍ ରୂପେ କାର୍ଯ୍ୟରତ ଥିଲେ ପରେ ସେ ବ୍ଲକ କାର୍ଯ୍ୟାଳୟରେ ଡିଇଓ ରୂପେ କାର୍ଯ୍ୟ କରୁଥଲେ । ଅଳ୍ପକିଛି ଦିନ ପୂର୍ବେ ଅଫିସ କାମରେ ବାଇକ ଯୋଗେ ଗୋଲାମୁଣ୍ଡା ଯିବା ସମୟରେ କାନ୍ଦୁଲଝର ନିକଟସ୍ଥ ଦୋଦେର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହେବା ସହ ଶରୀରର ଅନ୍ୟ ଜାଗା ମଧ୍ୟ ବହୁ କ୍ଷତ ବିକ୍ଷତ ହୋଇଥିଲା ।  ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ପରାମର୍ଶ ଦେଲାପରେ ତାଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁ ରେ ଥିବା ରଜନୀ ପଟେଲଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଥିବା ରଜନୀ ପଟେଲ ଆଜି ସକାଳ ପାଖାପାଖି ୧୦.୧୫ ଘଟିକାରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ସମଗ୍ର ଗୋଲାମୁଣ୍ଡା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ଏବଂ ଜିଲ୍ଲା ଜିଆରଏସ୍ ସଂଘର ସଭାପତି ପ୍ରଭାତ କୁମାର ତିବାରି, ଗୋଲାମୁଣ୍ଡା ଜିଆରଏସ୍ ସଂଘର ସଭାପତି ବିଶ୍ୱଦୀପକ ପାଣିଗ୍ରାହୀ ତଥା ଗୋଲାମୁଣ୍ଡା ଜିଆରଏସ ସଂଘର ମୁରଲୀଧର ରାଉତ, ହେମନ୍ତ ଦଳେଇ, ସୁରେନ୍ଦ୍ର ପଟେଲ, ଉପେନ୍ଦ୍ର କୁମାର ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଏହା ସହ ମୃତକଙ୍କ ପରିବାର ବର୍ଗ ସ୍ୱଳ୍ପ ଦରମାରେ ସରକାର ଜିଆରଏସ୍ ମାନଙ୍କୁ ଅଧିକ କାର୍ଯ୍ୟ ଚାପ ଦେଉଥିବା ଯୋଗୁ ସେମାନେ ଶାରୀରିକ ଓ ମାନସିକ ରୂପେ ନିର୍ଯ୍ୟାତିତ ହୋଉଥିବାର ଅଭିଯୋଗ କରିବା ସହ ଉଦବେଗ ପ୍ରକାଶ କରିଛନ୍ତି ।

Post a Comment

0 Comments