ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳ ପକ୍ଷରୁ ଗତ ୨୦ ତାରିଖ ଦିନ ଗୋଳାମୁଣ୍ଡା ବ୍ଲକ ଘେରାଓ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗୋଲାମୁଣ୍ଡା ତିନି ଛକ ଠାକୁରାଣୀ ମନ୍ଦିର ଠାରୁ ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା ବାହାରି ବ୍ଲକ ଘେରାଓ କରିଥିଲେ । ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଜନସଭା ହୋଇଥିଲା । ଏହି ସଭାରେ ସଭାପତି ଅଜୟ ପାଣିଗ୍ରାହୀଙ୍କ ସଭପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର, ଜିଲ୍ଲା ଉପ ସଭାପତି କାଲି ପ୍ରସାଦ ରାୟଗୁରୁ,ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ ବାଗ, ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବରିଷ୍ଠ କାର୍ଯ୍ୟକାର୍ତ୍ତା ରୂପେଶ ଅଗ୍ରୱାଲ, ଜିଲ୍ଲା ସମ୍ପାଦକ ସତ୍ୟରଞ୍ଜନ ବେହେରା,ଜିଲ୍ଲା ସମ୍ପାଦିକା କାଞ୍ଚନ ବାଗ,ମିହିଲା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାୟକ,ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାଏକ, ଯାଜ୍ଞସେନି ମହାନନ୍ଦ,ନୁର୍ଯ୍ୟ ମାଝୀ, ଲକ୍ଷ୍ମୀ ନାରାୟଣ ବାଣୁଆ,ଗୋଳାମୁଣ୍ଡା ମଣ୍ଡଳ ସଭାପତି ପ୍ରଦୀପ ପଣ୍ଡା,ଦଶପୁର ମଣ୍ଡଳ ସଭାପତି ଲଳିତ ପ୍ରଧାନ, କେଗାଁ ମଣ୍ଡଳ ସଭାପତି ଲିଙ୍ଗରାଜ ଭୋଇ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଚୁନିଲାଲ ଅଗ୍ରୱାଲ ଉପସ୍ଥିତ ରହି ବିଜେଡି ସରକାରଙ୍କ ଦୁର୍ନୀତି,ବ୍ୟଭିଚାର,ଧାନମଣ୍ଡିର କଟନୀ ଛଟନି ବିରୋଧରେ ଅଭିଭାଷଣ ରଖିଥିବା ବେଳେ ଧାନମଣ୍ଡି ଶୀଘ୍ର ଖୋଲିବା କୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ବିଶେଷ କରି ଗୋଳାମୁଣ୍ଡା ବ୍ଲକର ତିନିଗୋଟି ପଞ୍ଚାୟତ ଯଥା ବଡ଼ଚେରଗାଁ, ଉଛଲା, ଓ ଚହକାରେ ଗତ ଲଘୁଚାପଜନିତ ବର୍ଷାରେ ବ୍ୟାପକକ୍ଷୟକ୍ଷତି ହୋଇଥିବା ଉପରେ ସରକାରଙ୍କ ପକ୍ଷରୁ ସହାୟତା ଦେବାକୁ ଉକ୍ତ ସଭାରେ ଦାବି କରିଥିଲେ । ଗୋଳାମୁଣ୍ଡା ବ୍ଲକରେ ଚେକ ଡ୍ୟାମ ଗୁଡିକ ନିମ୍ନମାନ କାମ କରି ସମସ୍ତ ଟଙ୍କା ହରିଲୁଟ,ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଏସ୍ ଏଚ ଜି ମହିଳା ମାନଙ୍କ ଟିପଚିହ୍ନ ନେଇ ଫାଇନାନ୍ସକମ୍ପାନୀ ଗୁଡିକ ଠାରୁ କେତେକ ଦଲାଲ ଟଙ୍କା ଉଠାଣ କରି ଫେରାର ମାରିଥିଲେ । ହେଲେ ଏ ଉପରେ ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ଦଲାଲମାନଙ୍କୁ ଛାଡ଼ିଦେଇଥିବା ନେଇ ଆଜିକାର ସଭାରେ ଶ୍ରୀ ମନୋଜ ମେହେର ସରକାରଙ୍କ ବିରୋଧରେ ବର୍ଷିଥିଲେ । ପରେ ବିଡିଓଙ୍କୁ ୧୬ ଦଫା ଦାବି ଦେବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କୌଣସି ଅଧିକାରୀ ନ ଥିବାରୁ ବ୍ଲକ ମୁଖ୍ୟ କିରାଣୀ ଦାବିପତ୍ର ଗ୍ରହଣ ପାଇଁ ଉପସ୍ଥିତ ଥିଲେ । ହେଲେ ତାଙ୍କୁ ଦାବିପତ୍ର ନ ଦେଇ ଅପରାହ୍ନ ୪ଟା ସମୟ ପର୍ଯ୍ୟନ୍ତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହ ଶହଶହ ବିଜେପି କାର୍ଯ୍ୟ କର୍ତ୍ତା ବ୍ଲକ ସମ୍ମୁଖରେ ଥିବା ଚଟାଣରେ ବସିପଡ଼ିଥିଲେ । ଶେଷରେ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକ, ଜିପିଓ ରୋମିତ ପ୍ରଧାନ ଓ ସୁପରଭାଇଜର ଅଲିଭା ପଟ୍ଟନାୟକ ପହଞ୍ଚିଥିଲେ । ସେମାନଙ୍କୁ ବ୍ଲକ ଜରିଆରେ ହେଉଥିବା ଦୁର୍ନୀତି ଓ ସମ୍ମନିତ ଶିଶୁ ବିକାଶର ଦୁର୍ନୀତି ଉପରେ ସୁଚାଇଥିଲେ ଓ ପରେ ମହାମହିମ ରାଜ୍ୟପାଳଙ୍କୁ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଜରିଆରେ ୧୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ ।
0 Comments