ରେଞ୍ଜରଙ୍କ ପଛରେ ଅଛିକି ଅଦୃଶ୍ୟ ଶକ୍ତି : ୬ ବର୍ଷ ଧରି ହୋଇନାହିଁ ବଦଳି
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ କେନ୍ଦୁପତ୍ର ରେଞ୍ଜ ସାରା ଓଡ଼ିଶାରେ ନିଜର ଉତ୍ତମ ପାରଦର୍ଶିତା ପାଇଁ ପ୍ରଥମ ସ୍ଥାନରେ ଥିଲା, ଯାହା କି ବର୍ତ୍ତମାନ ପୁଣି ଖସିଆସିଛି ଅଷ୍ଟମ ସ୍ଥାନକୁ ଏ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବିଗତ ୫ ବର୍ଷରୁ କେଗାଁ କେନ୍ଦୁପତ୍ର ରେଞ୍ଜ ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ପାଇଥିଲେ ହେଲେ ବର୍ତ୍ତମାନ ଅଷ୍ଟମ ସ୍ଥାନକୁ ଖସିଆସିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ସାଙ୍ଗକୁ ତଦନ୍ତ ଅତି ଜରୁରୀ ହୋଇପଡିଛି । ରେଞ୍ଜର ଜୟନାରାୟଣ ଯୋଶୀ ଦାୟିତ୍ୱ ନେବା ପୂର୍ବରୁ କେନ୍ଦୁପତ୍ର ଉତ୍ପାଦନ ବହୁପରିମାଣରେ ବଢିଥିଲା । ସେହି ସମୟରେ କେନ୍ଦୁପତ୍ର ତୋଳାଳୀମାନେ କେନ୍ଦୁପତ୍ର ବିଭାଗ ଜରିଆରେ ସଠିକ ରୂପେ ସଠିକ ପରିମାଣରେ ସହାୟତା ପାଇପାରୁଥିଲେ ବୋଲି କେନ୍ଦୁପତ୍ର ତୋଳାଳୀମାନେ ପ୍ରକାଶ କରନ୍ତି । କିନ୍ତୁ ବର୍ତ୍ତମାନ ସେଭଳି ସହାୟତା ନ ମିଳିବା ନେଇ ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ବର୍ତ୍ତମାନ ଦାୟିତ୍ୱରେ ଥିବା ରେଞ୍ଜର ଜୟନାରାୟଣ ଯୋଶୀ ନିୟମିତ କାର୍ଯ୍ୟାଳୟକୁ ଆସୁନଥିବା ଲୋକଲୋଚନରେ ଚର୍ଚ୍ଚା ହେଉଛି । ଏ ନେଇ କେନ୍ଦୁପତ୍ର ବିଭାଗ ଦାୟିତ୍ୱରେ ଥିବା ମୁନ୍ସୀ ଓ ଚେକର ମାନେ ରେଞ୍ଜର ଅନୁପସ୍ଥିତ ଥିବା କଥା ଗତ ଚାରିମାସ ତଳେ ମୁହଁ ଖୋଲିଥିଲେ । କେଗାଁ ରେଞ୍ଜରଙ୍କ ଅନୁପସ୍ଥିତ ଓ ଅପାରଗତା କାର୍ଯ୍ୟ ପାଇଁ ଆଜି କେଗାଁ ରେଞ୍ଜ ପ୍ରଥମରୁ ଅଷ୍ଟମ ସ୍ଥାନକୁ ଖସିଆସିଛି ବୋଲି ସ୍ତାନୀୟ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଏପଟେ ସରକାରୀ ନିୟମ ଅନୁଯାୟୀ ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷ କାର୍ଯ୍ୟ କରି ଅନ୍ୟତ୍ର ବଦଳି ବ୍ୟବସ୍ଥା ଥିବା ବେଳେ ଏଠାରେ ରେଞ୍ଜର ଜୟନାରାୟଣ ଯୋଶୀ ଦୀର୍ଘ ୬ବର୍ଷ ଧରି କାର୍ଯ୍ୟ ତୁଲାଉଛନ୍ତି । କର୍ମଚାରୀ ମାନେ ଗୋଟିଏ ସ୍ଥାନରେ ଦୀର୍ଘଦିନ ଧରି ରହିଲେ ଏକଛତ୍ରବାଦ ନୀତି ଆପଣେଇ ଥାନ୍ତି ଯାହାଫଳରେ କି ରେଞ୍ଜର ଖରିଆରସ୍ଥିତ ନିଜ ଘରେ ରହି ସରକାରୀ ଦସ୍ତାବିତଗୁଡିକ ଆଣିବାକୁ ତଳିଆକର୍ମଚାରୀଙ୍କୁ ଆଦେଶ କରୁଥିବା ଜଣାପଡ଼ିଛି । ଗତବର୍ଷ ରେଞ୍ଜରଙ୍କ ତଳିଆ କର୍ମଚାରୀ କେତେକ ଦସ୍ତାବିତ ଧରି ରେଞ୍ଜରଙ୍କ ପାଖକୁ ଯାଇଥିଲେ ଏବଂ ସେମାନେ କାମସାରି କେଗାଁ ଅଫିସକୁ ଫେରୁଥିବା ବେଳେ ଚାନ୍ଦୋତାରା ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ ବୋଲି ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି । ଏଭଳି ସ୍ଥିତିରେ ତଳିଆକର୍ମଚାରୀଙ୍କ ଯଦି ଧନ ଜୀବନର ହାନୀ ଘଟେ ତେବେ ରେଞ୍ଜର ବାବୁ ଦାୟୀ ରହିବେ କି ଏନେଇ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଓଡ଼ିଶାର ସମସ୍ତ କେନ୍ଦୁପତ୍ର ରେଞ୍ଜଗୁଡିକରୁ କର ଆଦାୟ ହେଉଥିବା ବେଳେ କେଗାଁ ରେଞ୍ଜର ଚଳିତ ବର୍ଷ କେନ୍ଦୁପତ୍ର କିଣିବାକୁ କେତେକ ବେସରକାରୀ କମ୍ପାନୀକୁ ଅନୁମତି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଜୋର ଧରିଥିଲା ଏହା ସହ ସରକାରଙ୍କ ରାଜକୋଷକୁ ଯିବା ଟଙ୍କାକୁ ଆତ୍ମସାତ କରାଯାଉ ନାହିଁ ତ ବୋଲି ସନ୍ଧେହ ଉପୁଜିଛି । କଳାହାଣ୍ଡିର ସମସ୍ତ ରେଞ୍ଜରେ ପତ୍ରବନ୍ଦାଲୀ ମାନଙ୍କ ପାଉଣା ହାତରେ ପୈଠ ହେଉଥିବା ବେଳେ ଏଠାରେ ବ୍ୟାଙ୍କ ଜରିଆରେ ପୈଠ କରାଯାଉଛି । ଏ ନେଇ ପତ୍ରବନ୍ଦାଲୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ତେବେ ସିଧାସଳଖ ଭାବେ ସରକାରୀ ନିର୍ଦେଶ କୁ ଫୁକରୁଥିବା, ଦାୟିତ୍ୱ ନିର୍ବାହ କରିବାରେ ଅପାରଗ ସରକାରୀ ବାବୁଙ୍କ କାରନାମା ବିଷୟରେ କିଛିଦିନ ତଳେ ଅନେକ ଖବରକାଗଜରେ ପ୍ରକାଶିତ ହୋଇଥିଲା ହେଲେ ରେଞ୍ଜରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏପଟେ ରେଞ୍ଜରଙ୍କ ମୁଣ୍ଡରେ ଉପରିସ୍ତ କର୍ମଚାରୀଙ୍କ ଆଶୀର୍ବାଦ ଥାଇପାରେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ବର୍ତ୍ତମାନ ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ରେଞ୍ଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।
0 Comments