ଧର୍ମଗଡ଼,୨୪/୧୧ (କଳାହାଣ୍ଡି ନ୍ୟୁଜ) : କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ବିଶିଷ୍ଟ ସମାଜସେବୀ ହିମାଦ୍ରୀ ରାଉତଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି । ଗତ ଗୁରୁବାର ରାତ୍ର ପାଖାପାଖି ୧୨.୩୦ ରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ସରକାରୀ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର କଳାବାଦଲ ଛାଇଯାଇଛି । ସ୍ବର୍ଗତ ରାଉତ ଏକାଧାରରେ ଜଣେ କ୍ରୀଡ଼ାବିତ, କୀର୍ତ୍ତନ ଗୁରୁ, ରାଜନେତା ଏବଂ ସମାଜସେବୀ ଥିଲେ । ଝଙ୍କଡ଼ ପାଇକ ସମାଜର ସୁସଂଗଠକ ରୂପେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କରି ପ୍ରଚେଷ୍ଟା ଏବଂ ଦିଗଦର୍ଶନରେ ମାଁ ମଙ୍ଗଳା ସଂକୀର୍ତ୍ତନ ମଣ୍ଡଳୀ ଗଠିତ ହୋଇଥିଲା । କହିବାକୁ ଗଲେ ଗ୍ରାମରେ ଲୁପ୍ତ ପ୍ରାୟ କଳା ସଂକୃତିକୁ ସେ ବଞ୍ଚାଇରଖିଥିଲେ । ଗ୍ରାମର ସମସ୍ତ ସାମୁହିକ କାର୍ଯ୍ୟରେ ତାଙ୍କର ଅବଦାନ ରହୁଥିଲା । ସର୍ବ ମଙ୍ଗଳା ୟୁଥ କ୍ଲବ ତଥା ଗାଁର ଯୁବଗୋଷ୍ଠୀଙ୍କ ସେ ଥିଲେ ଉପଦେଷ୍ଟା ଏବଂ ପଥ ପ୍ରଦର୍ଶକ । ସ୍ବର୍ଗତ ରାଉତଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଚାଷୀ ନେତା ସାଉଲ ମଙ୍ଗରାଜ, ପ୍ରସନ୍ନ ରାଉତ, ସରପଞ୍ଚ ଦିନେଶ ରାଉତ, ସର୍ବ ମଙ୍ଗଳା ୟୁଥ କ୍ଲବର କର୍ମକର୍ତ୍ତା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଞ୍ଚଳର ଶତାଧିକ ଲୋକଙ୍କ ଉପସ୍ଥିତିରେ ଗାଁ ସ୍ୱର୍ଗଦ୍ୱାରରେ ସ୍ବର୍ଗତ ରାଉତଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଯାଇଛି । ଶବ ସଂସ୍କାର ସମୟରେ ସ୍ବର୍ଗତ ରାଉତଙ୍କ ପରିବାର ବର୍ଗ, ସାନ ପୁଅ ଶିବ ପ୍ରସାଦ ରାଉତ, ଝିଅ ଜ୍ବାଇଁ, ବନ୍ଧୁ ବାନ୍ଧବ ତଥା ଶତାଧିକ ଲୋକ ଉପସ୍ଥିତ ରହିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଜ୍ୟେଷ୍ଠ ପୁତ୍ର ବିଷ୍ଣୁପ୍ରସାଦ ରାଉତ ମୁଖାଗ୍ନି ଦେଇଥିଲେ ।
0 Comments