ନୂତନ ବ୍ରିଜ ସୁରକ୍ଷା ବାଡ଼ ନିର୍ମାଣ ପାଇଁ ଦାବି
ଧର୍ମଗଡ଼,୨୯/୧୧ (କଳାହାଣ୍ଡି ନ୍ୟୁଜ) : ଗୋଲାମୁଣ୍ଡା ବ୍ଲକରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯିବା ଥମିବାର ନା ନେଉନାହିଁ । କିଛିଦିନ ପୂର୍ବେ ଜଣେ ଜିଆରଏସ ଡ୍ୟୁଟି ଯିବା ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଗତ କାଲି ସନ୍ଧ୍ୟାରେ ଦଶପୁର ଗ୍ରାମର କନ୍ଧେନ ଜୋର୍ ବ୍ରିଜ ଉପରୁ ଖସିପଡି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ମତେ ଗତ କାଲି ଖମାରହଲଦି ଗ୍ରାମର ରମଣୀ ନିଆଲ (୨୬) ନିଜ ବାଇକ (ଓଡି ୦୮ ଏ ୮୦୪୫) ଯୋଗେ ନିଜ ଶ୍ୱଶୁର ଘର ଟିଙ୍ଗିପଦର ଗ୍ରାମରୁ ନିଜେ ଗ୍ରାମ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭାରସାମ୍ୟ ହରାଇ କନ୍ଧେନ ଜୋର୍ ବ୍ରିଜ ଉପରୁ ବ୍ରିଜ ତଳକୁ ଖସି ପଡିଥିଲେ | ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦଶପୁର ସରପଞ୍ଚ ରଞ୍ଜନ ସାହୁ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିବା ସହ ଦଶପୁର ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ ଓ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ପରିବାରଙ୍କୁ ଖବର ଦେଇଥିଲେ । ଖବର ପାଇ ଦଶପୁର ପୋଲିସ ଏବଂ ଆହତଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ରମଣୀ ନିଆଲଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ନିଆଯାଇଥିଲା । ତେବେ ସେଠାରେ ରମଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବା ଯୋଗୁ ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ରମଣୀ ନିଆଲଙ୍କୁ ମୃତ ଘୋଷଣା କରିଥିଲେ ବୋଲି ସୂଚନା ମିଳିଛି । ମୃତ୍ୟୁ ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ପହଞ୍ଚି ଶବଟିକୁ ଜବତ କରିବା ସହ ଦଶପୁର ପୋଲିସ କେଶ ନଂ ୨୦୧/୨୩ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । କନ୍ଧେନ ଜୋର୍ ବ୍ରିଜର ସୁରକ୍ଷା ବାଡ଼ ନ ଥିବାରୁ ଏପରି ଅନେକ ସମୟରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଜନସାଧାରଣ କହିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନୂତନ ବ୍ରିଜ ନିର୍ମାଣ କରିବାକୁ ଦଶପୁର ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।
0 Comments