Breaking News

6/recent/ticker-posts

ଡୁମେରଗୁଡ଼ାରେ ଗୁରୁ ଭଗବାନ ସାହୁଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳନ

 

ଧର୍ମଗଡ, ୨୭/୧୧ ( କଳାହାଣ୍ଡି ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ଗ୍ରାମରେ କୋଶଳୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ସ୍ବର୍ଗତ ସାହୁ ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା,ପ୍ରଥମ ନାଟ୍ୟକାର, ଭାଷା, ଲୋକକଳା ସଂସ୍କୃତି, କୋଶଲ ତଥା ସମ୍ବଲପୁରୀ ଲୋକନୃତ୍ଯ, ଶବ୍ଦନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ । କୋଶଲ ନାଟ୍ଯ ମହର୍ଷି ସ୍ବର୍ଗତ ଗୁରୁ ଭଗବାନ ସାହୁ ଙ୍କ ଜନ୍ମ ୧୯୩୧ ମସିହା ଜେଷ୍ଠମାସ ଦେବସ୍ନାନ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲା ବରପାଲି ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଗୌନ୍ତିଆ ପରିବାରରେ ହୋଇଥିଲା । ଗୁରୁ ଭଗବାନ ସାହୁ ନାଟ୍ଯ କଳା ସଂସ୍କୃତି ଇତିହାସ ରେ ଏକମାତ୍ର ବ୍ୟକ୍ତି ଯିଏକି ୧୯୫୦ ମସିହା ରାମନବମୀ ତିଥିରେ କୁମ୍ଭାରୀ ଗ୍ରାମରେ ଏକ ନାଟକ ଅନୁଷ୍ଠାନ “ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ” ପ୍ରତିଷ୍ଠା କରି ନିଜେ ନାଟକ ଓ ଗୀତ ରଚନା,ନିର୍ଦ୍ଦେଶନା, ସଂଗୀତ, ନୃତ୍ୟ ନିର୍ଦ୍ଦେଶନା ଦେଇ, ସରକାରୀ ଚାକିରି ଛାଡି ଘରର ସମସ୍ତ ସମ୍ପତ୍ତିକୁ ଜଳାଞ୍ଜଳି ଦେଇ ବହୁ ଉତ୍ଥାନ ଓ ପତନ ଦେଇ ବିନା ସରକାରୀ ଅନୁଦାନ ରେ ୨୦୦୦ ମସିହା ରାମନବମୀ ତିଥି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ୫୦ ବର୍ଷ ପରିଚାଳନା କରି ୯୦୦୦ ରୁ ଉର୍ଦ୍ଧ୍ବ ରାତ୍ରି ନାଟକ, କୋଶଲ ତଥା ସମ୍ବଲପୁରୀ ଲୋକନୃତ୍ୟ ଏବଂ ଶବ୍ଦନୃତ୍ୟ ପରିବେଷଣ କରିଥିଲେ । ଆଜି ତାଙ୍କ ଅବଦାନ କୁ ମନେପକାଇ ମାଁ ବସ୍ତରେନ କଳାପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ଭାଷା, କଳା ସଂସ୍କୃତିର ପ୍ରଚାରକ ତଥା ସାରା ପଶ୍ଚିମ ଓଡ଼ିଶାରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ପଛର ମହାନାୟକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । କବି ଦୀପକ କୁମାର ସୁନାନୀ ଙ୍କ ଆବାହନରେ   ଡୁମେରଗୁଡା ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୂପେ ଶ୍ରୀଯୁକ୍ତ ତପନ ନାଏକ, ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ଶ୍ରୀଯୁକ୍ତ ଦେବାର୍ଚ୍ଚନ ସେଠିଆ, ସମ୍ମାନିତ ଅତିଥି ଭାବେ ରମେଶ ଚନ୍ଦ୍ର ନାଏକ ଉପସ୍ଥିତ ରହିଥିଲେ ।

ସର୍ବପ୍ରଥମେ ସ୍ବର୍ଗତ ଗୁରୁ ଭଗବାନ ସାହୁଙ୍କୁ ଶ୍ରଦ୍ଧା ସୁମନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସ୍ବର୍ଗତ ସାହୁଙ୍କ କଳା ସଂସ୍କୃତି, ଭାଷା ତଥା ଅଞ୍ଚଳ ପ୍ରତି ତାଙ୍କ ଜୀବନବ୍ୟାପୀ ତ୍ୟାଗ, ଅବଦାନ ଏବଂ ବଳିଦାନ ଉପରେ ଆଲୋକପାତ କରାଯାଇଥିଲା । ଏହା ସହ ସ୍ବର୍ଗତ ସାହୁଙ୍କ ଭଳି ଏକ ମହାନ ବ୍ୟକ୍ତିତ୍ଵଙ୍କ ତ୍ୟାଗ ଓ ସଂଘର୍ଷ ତଥା ଇତିହାସ ଲୋକଲୋଚନକୁ ନଆସିବା ଅଞ୍ଚଳ ଭାଷା, କଳା ଓ ସଂସ୍କୃତି କ୍ଷେତ୍ରରେ ପଶ୍ଚିମାଞ୍ଚଳ ପାଇଁ ଏକ ଦୁର୍ଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗରିବ ହରିପାଲ, ଶ୍ରୀ ଲମ୍ବୋଦର ସା ଙ୍କ ସମେତ ଡୁମେରଗୁଡା ଗ୍ରାମର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

0 Comments