Breaking News

6/recent/ticker-posts

ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ପଞ୍ଚାୟତରେ ଆବାସ କେଲେଙ୍କାରୀ ଅଭିଯୋଗ

ଗୋଟିଏ ଆବାସ ଘର : କାର୍ଯ୍ୟଦେଶ, ଜିଓ ଟ୍ୟାଗ ଓ ଆକାଉଣ୍ଟ ନମ୍ବର ସଂଯୋଗ ଭିନ୍ନ ଭିନ୍ନ ଲୋକଙ୍କ ନାମରେ

ଗୋଲାମୁଣ୍ଡା,୨୪/୧୧ (K.N) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ମାଲ ମାଲ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବେଳେ ବେଳେ ସେହି ଯୋଜନା ହୁଏ ବାଟବଣା । ଉଚିତ ହିତାଧିକାରୀ ବିନା ଦୋଷରେ ନିଜର ହକ ଆଉ ଅଧିକାରରୁ ବଂଚିତ ହୁଏ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ଚପ୍ରିୟା ପଞ୍ଚାୟତ ରେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଲେଙ୍କାରୀ ଦେଖିବାକୁ ମିଳିଛି । ଆବାସ ଯୋଜନାରେ ଜଣଙ୍କୁ ଘର ତିଆରି ପାଇଁ କର୍ଯ୍ୟାଦେଶ ମିଳିଥିବା ବେଳେ ଘର ନିର୍ମାଣ ପାଇଁ କିନ୍ତୁ ଆଉ ଜଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବା ପାଇଁ ଜିଓ ଟ୍ୟାଗ ଆକାଉଣ୍ଟ ସଂଯୋଗ କରାଯାଇଛି । ବ୍ଲକ ପ୍ରଶାସନର କିଛି ଲାଭଖୋର କର୍ମଚାରୀ ଟଙ୍କା ମୋହରେ ପଡି ଗୋଟିଏ ଘରକୁ ଭାଗ ଭାଗ କରିବାକୁ ବସିଥିବା ଅଭିଯୋଗ ହେଉଛି । ଫଳ ସ୍ୱରୂପ ଯୋଗ୍ୟ ହିତାଧିକାରୀ ମଧ୍ୟ ଅଯୋଗ୍ୟ ବିବେଚିତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ସେହି କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଥିବା ନେଇ ଅଭିଯୋଗ ହେଉଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗାଁର ଅସହାୟ ବୃଦ୍ଧା କ୍ଷୀର ରଣାଙ୍କୁ ଗତ ମେ ୨୬ ତାରିଖରେ ଘର ତିଆରି ପାଇଁ କର୍ଯ୍ୟାଦେଶ ଦିଆଯାଇଛି । କିନ୍ତୁ କ୍ଷୀର ରଣା କର୍ଯ୍ୟାଦେଶ (ଓଡ଼ି/ ୫/୦୯୦/୨୦୨୧-୨୦୨୨) ପାଇଥିବା ବେଳେ କ୍ଷୀର ରଣାଙ୍କ ନାମରେ ଜିଓ ଟ୍ୟାଗ ହେବା ପରିବର୍ତ୍ତେ ସେହି ଗାଁର ଖୀନ ରଣାଙ୍କ ନାମରେ ଜିଓ ଟ୍ୟାଗ କରିବା ସହ ତାଙ୍କ ଆକାଉଣ୍ଟକୁ ସଂଯୋଗ କରାଯାଇଛି । ଯାହା ଫଳରେ କ୍ଷୀରଙ୍କ ନାମରେ  ଆସିଥିବା ଆବାସ ଘରର ଟଙ୍କା ଖୀନ ରଣାଙ୍କ ପାଖକୁ ଯାଇଥାନ୍ତା ବୋଲି ଅଭିଯୋଗ ହେଉଛି । ବୃଦ୍ଧା କ୍ଷୀରଙ୍କ ପରିବାର ବ୍ଲକ କର୍ମଚାରୀଙ୍କ ଏହି ଭୁଲ ଜାଣିବା ପରେ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ କିନ୍ତୁ କେହି ମଧ୍ୟ ବୃଦ୍ଧାଙ୍କୁ ସହଯୋଗ କରିନଥିଲେ । ଅନ୍ୟ ପକ୍ଷରେ ବୃଦ୍ଧା କ୍ଷୀର ରଣା ବାଧ୍ୟ ହୋଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ତୁରନ୍ତ କ୍ଷୀର ରଣାଙ୍କୁ ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରୁଛନ୍ତି ଗୋଲାମୁଣ୍ଡା  ବ୍ଲକର କିଛି ଲାଭଖୋର କର୍ମଚାରୀ । ଏପରି ଭାବେ କିଛି ଟଙ୍କା ଲୋଭରେ ଜଣଙ୍କ ଘରକୁ ଅନ୍ୟ ଜଣଙ୍କ ନାମରେ ନାମିତ କରିବା କୁଟଚକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଛି । ଯାହା ସର୍ବ ସାଧାରଣରେ ବର୍ତ୍ତମାନ ଉଦବେଗର ବିଷୟ ହୋଇଛି । କ୍ଷୀର ରଣା ପାଇଥିବା କାର୍ଯ୍ୟଦେଶରେ ଖୀନ ରଣାଙ୍କ ନାମରେ କିଏ ଜିଆଇ ଟ୍ୟାଗ କଲା କିଏ ଆକାଉଣ୍ଟ ନମ୍ବର ସଂଯୋଗ କଲା ଏବଂ ଏହି କାମରେ କିଏ ମାଷ୍ଟର ମାଇଣ୍ଡ । କିଏ କିଏ ସଂଶ୍ଲିଷ୍ଟ ତାହାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ପଚାରିବାରୁ, ଯିଏ ଯୋଗ୍ୟ ତାହା ଘର ଯୋଗାଇ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ ।

Post a Comment

0 Comments